ମହାଶିବରାତ୍ରିରେ ଭକ୍ତମାନଙ୍କ ଭିଡ଼ – ଅବିଧିଆନନ୍ଦପୁରର ପ୍ରାଚୀନ ଚମ୍ପେଶ୍ଵର ମହାଦେବ ମନ୍ଦିର

ଅବିଧିଆନନ୍ଦପୁରର ପ୍ରାଚୀନ ଚମ୍ପେଶ୍ଵର ମହାଦେବ ମନ୍ଦିର – ଆସ୍ଥା ଓ ଐତିହ୍ୟର ପବିତ୍ର ପୀଠ

ଜଗତସିଂହପୁର ଜିଲ୍ଲାର ଓଡ଼ିଶୋ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅବିଧିଆନନ୍ଦପୁର ଗାଁରେ ଅବସ୍ଥିତ ପ୍ରାଚୀନ ଚମ୍ପେଶ୍ଵର ମହାଦେବଙ୍କ ମନ୍ଦିର ଏହି ଅଞ୍ଚଳର ଏକ ପ୍ରସିଦ୍ଧ ଧାର୍ମିକ କେନ୍ଦ୍ର। ମନ୍ଦିରର ଇତିହାସ ବହୁ ପୁରାତନ ଓ ଭକ୍ତିରେ ଭରିଥିବା ଏକ ଆଶ୍ଚର୍ଯ୍ୟଜନକ କାହାଣୀ ସହ ଜଡିତ।

ମହାଶିବରାତ୍ରି ଅବସରରେ ଏଠାରେ ହଜାର ହଜାର ଭକ୍ତଙ୍କ ସମାଗମ ହୁଏ। ପ୍ରତ୍ୟେକ ଦିନ ମଧ୍ୟ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଆସି ପୂଜା ଓ ଦର୍ଶନ କରି ମନୋକାମନା କରନ୍ତି।

ମନ୍ଦିରର ପୌରାଣିକ ଇତିହାସ

ସ୍ଥାନୀୟ ଲୋକକଥା ଅନୁସାରେ, ପାଖପାଖି ପାକନପୁର ଗାଁର ଚମ୍ପେଶ୍ଵର ମହାଦେବଙ୍କ ସ୍ଥାନରେ ଏକ ଆଶ୍ଚର୍ଯ୍ୟ ଘଟଣା ଘଟିଥିଲା। ଚୌଧୁରୀ ସାହିର ଗୋଟିଏ ଗାଈ ପ୍ରତିଦିନ ଚଳିବାକୁ ଆସି ଗୋଟିଏ ଚମ୍ପା ଗଛ ପାଖରେ ଠିଆ ହୁଏ। ସେହି ଗଛରେ ଫୁଟୁଥିବା ଚମ୍ପା ଫୁଲର ସୁଗନ୍ଧ ସାରା ପରିବେଶକୁ ମନୋହର କରି ଦେଉଥିଲା।

କିଛିଦିନ ପରେ ଗାଈଟି ଗୋଟିଏ ବାଛୁରୀକୁ ଜନ୍ମ ଦେଲା। ଗାଈର ଖିର ନ ମିଳିବାରୁ ଚୌଧୁରୀ ବୁଢ଼ା ଆଶ୍ଚର୍ଯ୍ୟ ହେଲେ ଓ ତଦନ୍ତ କରି ଦେଖିଲେ ଯେ ଗାଈଟି ଚମ୍ପା ଗଛ ମୂଳରେ ଥିବା ଗୋଟିଏ ଗୁହା ସଦୃଶ ସ୍ଥାନରେ ନିଜେ ଖିର ଛାଡ଼ୁଛି।

ଏହା ଦେଖି ସେ ଗାଁର ଲୋକମାନଙ୍କ ସହ ମିଶି ସେଠାକୁ ଖୋଳିବା ପରେ ଏକ ଶିବଲିଙ୍ଗ ପ୍ରକାଶ ପାଇଲା। ସେହି ରାତିରେ ଚୌଧୁରୀ ବୁଢ଼ାଙ୍କୁ ସ୍ୱପ୍ନରେ ପ୍ରଭୁ ଦର୍ଶନ ଦେଇଥିବା କଥା କୁହାଯାଏ। ପରଦିନରୁ ମନ୍ଦିର ନିର୍ମାଣ କାମ ଆରମ୍ଭ ହେଲା। ଚମ୍ପା ଗଛ ମୂଳରୁ ଶିବଲିଙ୍ଗ ମିଳିଥିବାରୁ ଏହି ଠାକୁରଙ୍କୁ “ଚମ୍ପେଶ୍ଵର ମହାଦେବ” ବୋଲି ପୂଜା କରାଯାଉଛି।

ଭକ୍ତି ଓ ଆସ୍ଥାର କେନ୍ଦ୍ର

ସ୍ଥାନୀୟ ଲୋକଙ୍କ ଆସ୍ଥା ଅନୁସାରେ, ଚମ୍ପେଶ୍ଵର ମହାଦେବଙ୍କ ପାଖରେ ଅନେକ ଭକ୍ତଙ୍କ ମନୋକାମନା ପୂରଣ ହୋଇଛି। ବହୁ ଅପୁତ୍ରିକା ନାରୀ ସନ୍ତାନଲାଭ କରିଥିବା କଥା ମଧ୍ୟ ଲୋକମାନେ କହିଥାନ୍ତି। ଗ୍ରାମବାସୀଙ୍କ ସହଯୋଗରେ ଆଜି ଏଠାରେ ଏକ ବିଶାଳ ମନ୍ଦିର ନିର୍ମିତ ହୋଇଛି। ମନ୍ଦିର ନିକଟରେ ଦୁଇଟି ବଡ଼ ପୋଖରୀ ମଧ୍ୟ ଅଛି, ଯାହା ପରିବେଶକୁ ଆହୁରି ସୁନ୍ଦର କରିଛି।

ଦୈନିକ ପୂଜା ପାଠ

ଅବିଧିଆନନ୍ଦପୁର ଗାଁରେ ଗୋପାଳ ଜାତିର ଲୋକମାନେ ଅଧିକ ସଂଖ୍ୟାରେ ବସବାସ କରନ୍ତି। ପ୍ରତିଦିନ କଞ୍ଚା ଖିର, ବେଲପତ୍ର ଓ ପୂଜାପାଠ ଦ୍ୱାରା ଭଗବାନଙ୍କ ଆରାଧନା କରାଯାଏ। ଭକ୍ତମାନଙ୍କ ମନରେ ଆଜି ମଧ୍ୟ ଏହି ପବିତ୍ର ସ୍ଥାନ ପ୍ରତି ଗାଢ଼ ଆସ୍ଥା ଓ ଭକ୍ତି ଅବିଚ୍ଛିନ୍ନ ରହିଛି।

ହର ହର ମହାଦେବ।

Tags :

Recent Posts

Leave a Reply

Your email address will not be published. Required fields are marked *

editors picks

Top Reviews