ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଛି। ଏକ ଚଞ୍ଚଳକର ଘଟଣାରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି।
ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ମଧ୍ୟମଗ୍ରାମ ଅଞ୍ଚଳରେ ଏହି ଭୟାବହ ଗୁଳିକାଣ୍ଡ ଘଟିଥିଲା। ଚନ୍ଦ୍ରନାଥ ରଥଙ୍କ ଉପରେ ପ୍ରାୟ ୧୪ ରାଉଣ୍ଡ ଗୁଳି ଚାଳନା କରାଯାଇଥିବା ତଥ୍ୟ ପୋଲିସ ହାତରେ ଲାଗିଛି। ତାଙ୍କ ଛାତି, ପେଟ ଓ ମୁଣ୍ଡରେ ଗୁଳି ବାଜିଥିବା ବେଳେ, ୩ଟି ଗୁଳି ଅତ୍ୟନ୍ତ ନିକଟ ଦୂରତାରୁ ଚାଳନା କରାଯାଇଥିବା କୁହାଯାଉଛି।
ଘଟଣା ପରେ ସମଗ୍ର ଅଞ୍ଚଳରେ ଚଞ୍ଚଳ ସୃଷ୍ଟି ହୋଇଥିବା ବେଳେ ପଶ୍ଚିମବଙ୍ଗ ପୋଲିସ ତଦନ୍ତ ଆରମ୍ଭ କରିଛି। ହତ୍ୟା ପଛରେ ରାଜନୈତିକ ଶତ୍ରୁତା ନା କି ଅନ୍ୟ କୌଣସି କାରଣ ରହିଛି, ସେନେଇ ଖୋଜଖବର ଚାଲିଛି।
ଏହି ଘଟଣା ପରେ ପଶ୍ଚିମବଙ୍ଗ ବିଜେପି ସଂଗଠନ ସହ ସମଗ୍ର ଦଳୀୟ ନେତୃତ୍ୱ ମର୍ମାହତ ହୋଇଥିବା ବେଳେ, କାର୍ଯ୍ୟକର୍ତ୍ତା ଓ ସାଧାରଣ ଲୋକଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ଦେଖାଦେଇଛି।
