ଓଡ଼ିଶାରେ ଦୋଳ ପୂର୍ଣ୍ଣମୀ ଏକ ନିଆରା ଓ ଆନନ୍ଦମୟ ପର୍ବ । “ବର୍ଷକେ ବାରମାସ ତେର ପର୍ବ” ପରମ୍ପରାକୁ ସାକାର କରୁଥିବା ଏହି ପବିତ୍ର ଅବସରରେ ହଜାର ହଜାର ଗୋପାଳ ପରିବାର ଏକତ୍ରିତ ହୋଇ ଉଲ୍ଲାସ ଓ ଭକ୍ତିଭାବରେ ପର୍ବ ପାଳନ କରନ୍ତି।
ପବିତ୍ର ଦୋଳ ପୂର୍ଣ୍ଣମୀ ଦିନ ଦୋଳ ଠାକୁରଙ୍କୁ ବିମାନରେ ବୁଲାଇ ଭୋଗ ଅର୍ପଣ କରାଯାଏ । ଏହା ଗୋପାଳ ଜାତିର ପାରମ୍ପରିକ ଓ ଜାତିଭିତ୍ତିକ ପର୍ବ ଭାବେ ପରିଚିତ । ଏହି ଦିନ ଗାଈ ଓ ଗୋରୁଙ୍କୁ ଶ୍ରଦ୍ଧାଭକ୍ତି ସହ ପୂଜା କରାଯାଏ।
ଗୋପାଳ ପରିବାରର ସଦସ୍ୟମାନେ ନବ ବସ୍ତ୍ର ପରିଧାନ କରି ସଜଭାର ଧରି ଗୋଠକୁ ଯାଆନ୍ତି । ଦିଅଁଘରେ ପୂଜା ପାଠ କରାଯାଏ ଓ ଗୋଠରେ ଶୀତଳ ଭୋଗ ଅର୍ପଣ କରାଯାଏ । ଗୋମାତାଙ୍କୁ ବନ୍ଦାଣ କରି ତାଙ୍କ ଉପରେ ନବ ବସ୍ତ୍ର ପକାଇ ସମ୍ମାନ ଜଣାଯାଏ ।
ରାତିରେ ଦୁଧ ବନ୍ଦନ କରାଯାଇଥାଏ ଓ ପରବର୍ତ୍ତୀ ସମୟରେ ହୋଲି ପର୍ବ ଆନନ୍ଦ ଓ ରଙ୍ଗରେ ପାଳନ କରାଯାଏ ।
ଦୋଳ ପୂର୍ଣ୍ଣମୀ ଓଡ଼ିଆ ସଂସ୍କୃତିର ଏକ ଅଦ୍ଭୁତ ଦର୍ପଣ, ଯେଉଁଠାରେ ଭକ୍ତି, ପରମ୍ପରା ଓ ଆନନ୍ଦ ଏକାତ୍ମ ହୋଇଥାଏ ।
