ବୟସର ଶେଷ ପଥରେ ଏକାତ୍ୱ – ବୃଦ୍ଧ ମଣିଷଙ୍କ ଯନ୍ତ୍ରଣା ଓ ଆମର ଦାୟିତ୍ୱ
ଆଜିର ଦୁନିଆରେ ସବୁଠାରୁ ବଡ ଦୁଃଖ ଓ ପରିତାପର ବିଷୟ ହେଉଛି ବୟସ ବଢିଲେ ବୃଦ୍ଧ ଲୋକମାନଙ୍କ ଅବସ୍ଥା। ବୟସ ହେଲେ ମଣିଷ ଧୀରେ ଧୀରେ ଅସାହାୟ ହୋଇପଡ଼େ। ଘର ନିଜର, ପରିବାର ନିଜର ହେଉଥିଲେ ମଧ୍ୟ ଅନେକ ସମୟରେ ଲୋକେ ସେମାନଙ୍କୁ ଦୂରେଇ ଯାଆନ୍ତି। ବୃଦ୍ଧ ଲୋକମାନେ ଏକାକୀ ଜୀବନ କାଟିବାକୁ ବାଧ୍ୟ ହୁଅନ୍ତି।
ଗରିବ ଓ ଅସାହାୟ ମଣିଷଙ୍କ ମନରେ ଅନେକ ଦୁଃଖ ଥାଏ, କିନ୍ତୁ ସେ ଦୁଃଖକୁ ସେମାନେ ନିରବରେ ସହିବାକୁ ପଡ଼େ। କେହି ତାଙ୍କ ଖବର ନେବାକୁ ଆସନ୍ତି ନାହିଁ। ବୟସ ବଢିଲେ ବିଭିନ୍ନ ରୋଗ ଧୀରେ ଧୀରେ ବଢିଥାଏ, ଶରୀର ଦୁର୍ବଳ ହୋଇଯାଏ, ରକ୍ତ କମିଯାଏ। ଡାକ୍ତରଖାନାକୁ ଯିବା ପାଇଁ ଗାଡି ଓ ଟଙ୍କା ଦରକାର ହୁଏ, କିନ୍ତୁ ଅନେକ ଗରିବ ବୃଦ୍ଧ ଲୋକଙ୍କ ପାଖରେ ସେ ସୁବିଧା ନଥାଏ।
ଅନେକ ସମୟରେ ପୁଅ ବାହାଘର ପରେ ପରିବାରରେ ପରିସ୍ଥିତି ବଦଳିଯାଏ। ବୃଦ୍ଧ ମା’ବାପାଙ୍କୁ କିଏ ଡାକ୍ତରଖାନାକୁ ନେବ, କିଏ ତାଙ୍କୁ ଦେଖିବ—ଏହି ପ୍ରଶ୍ନ ଉଠେ। ଏହାହିଁ ଆଜିର ଜୀବନର କଠୋର ସତ୍ୟ।
ବୃଦ୍ଧ ମଣିଷଙ୍କ ସହିତ ରହିବା ସହଜ ନୁହେଁ, କାରଣ ସେମାନଙ୍କୁ ସବୁବେଳେ କାହାରୋ ସାହାଯ୍ୟ ଦରକାର ହୁଏ। କିନ୍ତୁ ସମାଜରେ ଏମିତି ଲୋକ ଅନେକ ଅଛନ୍ତି, ଯେଉଁମାନେ ନିଜର ବୃଦ୍ଧ ଲୋକଙ୍କୁ ମଧ୍ୟ ପର କରିଦେଉଛନ୍ତି। ରୋଗରେ ପୀଡିତ ବୃଦ୍ଧ ଲୋକମାନେ ଠିକ୍ ଭାବରେ ଖାଇବାପିଇବା ମଧ୍ୟ ପାଉନାହାନ୍ତି। ପାଖରେ ବସିଥିବା ଲୋକମାନେ ସମ୍ପର୍କ ତୁଟାଇ ଦେଇଥାନ୍ତି। ଏହି ସଂସାର ମାୟାମୟ ହେଲେ ମଧ୍ୟ ବହୁ ସମୟରେ ମିଛ ଲାଗେ।
ଓଡ଼ିଶାର ଅନେକ ଲୋକ ଜୀବନର ଶେଷ ସମୟରେ ଏଭଳି ଦୁଃଖ ଅନୁଭବ କରନ୍ତି।
ମୋର ଜନ୍ମ ଜଗତସିଂହପୁର ଜିଲ୍ଲାର ଅବିଧିଆନନ୍ଦପୁର ଗାଁର ଗୋପାଳ ଘରେ। ପିଲାଦିନରୁ ବୃଦ୍ଧ ବୁଢା-ବୁଢୀମାନଙ୍କ ସହ କଥା ହେବାକୁ ମୋତେ ଭଲ ଲାଗେ। ସେମାନଙ୍କ ଜୀବନର ଅନୁଭୂତି, ଘରୋଇ ଦୁଃଖ ଓ ଯନ୍ତ୍ରଣାର କଥା ମୁଁ ଶୁଣିଛି। ଯଥାସମ୍ଭବ ସେମାନଙ୍କୁ ସାହାଯ୍ୟ କରିବା ଓ ସେମାନଙ୍କ ପୁଅ-ବହୁଙ୍କୁ ବୁଝାଇବା ମୋର ଚେଷ୍ଟା ରହିଛି।
କିଛି ଲୋକ ମୋତେ ଗାଳି ମଧ୍ୟ କରନ୍ତି, କିନ୍ତୁ ମୁଁ ହାର ମାନେ ନାହିଁ। ବୃଦ୍ଧ ଲୋକମାନଙ୍କ ସହାୟତା ପାଇଁ ସମାଜକୁ ସଚେତନ କରିବା ମୋର ଲକ୍ଷ୍ୟ। ଏହି ଉଦ୍ଦେଶ୍ୟରେ “ରାଜ୍ୟ ଓଡ଼ିଶା ଗୋପାଳ ସମାଜ” ନାମରେ ଏକ ସାମାଜିକ ଅନୁଷ୍ଠାନ ଗଠନ କରାଯାଇଛି। “ଜୟ ଗୋପାଳ ଓଡ଼ିଶା ନିୟୁଜ” ମାଧ୍ୟମରେ ସମାଜ ମଙ୍ଗଳ କାର୍ଯ୍ୟକ୍ରମର ପ୍ରଚାର-ପ୍ରସାର କରିବା ଆମର ଲକ୍ଷ୍ୟ।
ଆମେ ମନେ ରଖିବା ଦରକାର—ଆଜି ଆମେ ଯୁବକ, କିନ୍ତୁ ଦିନେ ନ ଦିନେ ଆମେ ମଧ୍ୟ ବୃଦ୍ଧ ହେବୁ। ସବୁବେଳେ ଯୁବ ଅବସ୍ଥା ରହିବ ନାହିଁ। ଆମେ ଆଜି ଏଇ ଦୁନିଆକୁ ଆସିଛୁ, କିନ୍ତୁ ଦିନେ ନ ଦିନେ ଯିବାକୁ ହେବ।
ଯଦି ଆମେ ସମାଜ ପାଇଁ କିଛି ଭଲ କାମ କରିଯାଉ, ତେବେ ଆମେ ନ ଥାଇଲେ ମଧ୍ୟ ଲୋକମାନେ ଆମକୁ ମନେ ପକାଇବେ।
ଆଜିର ସମାଜରେ ଅନେକ ବଡ଼ ଲୋକ ଅଛନ୍ତି—ରାଜଧାନୀରେ ରହନ୍ତି, ସଭା-ସମିତିରେ ବଡ଼ ବଡ଼ ଭାଷଣ ଦିଅନ୍ତି, ଗାଡି-ବଡ଼ ଘର ରହିଛି। କିନ୍ତୁ ଦୁଃଖର କଥା ହେଉଛି, ସେମାନେ ନିଜ ଗାଁର ଗରିବ ଲୋକଙ୍କୁ ଦେଖିଲେ ମଧ୍ୟ ଚିହ୍ନିଲା ପରି ଚାଲିଯାଆନ୍ତି।
ସହରୀ ସଭ୍ୟତା, ଉଚ୍ଚ ବିଳାସ, ବଡ଼ ବଡ଼ ଅଟ୍ଟାଳିକା ଓ ଆଲୋକର ମୟ ଜୀବନରେ ଗାଁରୁ ଆସିଥିବା ଗରିବ ଲୋକଙ୍କ ସହ ସମ୍ପର୍କ ଧୀରେ ଧୀରେ ତୁଟିଯାଉଛି।
ଶେଷରେ ଓଡ଼ିଶାର ସମସ୍ତ ଭାଇ-ଭଉଣୀଙ୍କୁ “ଜୟ ଗୋପାଳ ଓଡ଼ିଶା ନିୟୁଜ” ପକ୍ଷରୁ ଏକ ନମ୍ର ନିବେଦନ—
ରକ୍ତଦାନ କରନ୍ତୁ, ବୃଦ୍ଧ ଲୋକମାନଙ୍କୁ ସହାୟତା କରନ୍ତୁ, ବୃଦ୍ଧାଶ୍ରମ ଗଠନରେ ସହଯୋଗ କରନ୍ତୁ ଓ ସମାଜ ମଙ୍ଗଳ କାର୍ଯ୍ୟକ୍ରମରେ ଆଗୁଆ ହୁଅନ୍ତୁ।
ସମାଜ ପାଇଁ କରାଯାଇଥିବା ଛୋଟ ଛୋଟ ସେବା ମଧ୍ୟ ଏକ ଦିନ ବଡ଼ ପରିବର୍ତ୍ତନ ଆଣିପାରେ।
ନମସ୍କାର।
