ମହା ବିଷୁବ ପଣା ସଂକ୍ରାନ୍ତି: ଓଡ଼ିଆ ନୂତନ ବର୍ଷର ଆରମ୍ଭ, ଆମ ପରମ୍ପରା ଓ ଆସ୍ଥାର ନିଆରା ଝଲକ

ଆଜି ମହା ବିଷୁବ ପଣା ସଂକ୍ରାନ୍ତି, ଯାହାକୁ ଓଡ଼ିଶାରେ ଓଡ଼ିଆ ନୂତନ ବର୍ଷର ଆରମ୍ଭ ଭାବେ ଗଭୀର ଆସ୍ଥା ଓ ଉତ୍ସାହ ସହ ପାଳନ କରାଯାଏ। ଏହି ପବିତ୍ର ଦିନରୁ ଓଡ଼ିଆ ନୂତନ ପାଞ୍ଜିର ପ୍ରଚଳନ ଆରମ୍ଭ ହୁଏ। ଶତାବ୍ଦୀ ଧରି ଚାଲିଆସୁଥିବା ଆମ ଏତିହ୍ୟ ଓ ପରମ୍ପରାକୁ ଆଜି ମଧ୍ୟ ପ୍ରତ୍ୟେକ ଓଡ଼ିଆ ଘରେ ଘରେ ସମ୍ମାନ ସହ ପାଳନ କରାଯାଉଛି।

ସବୁବର୍ଷ ପରି ଏହିବର୍ଷ ମଧ୍ୟ ଓଡ଼ିଶାବାସୀ ଭକ୍ତି ଓ ଉତ୍ସାହର ସହିତ ପଣା ସଂକ୍ରାନ୍ତିକୁ ପାଳନ କରିଛନ୍ତି। ରାଜ୍ୟର ବିଭିନ୍ନ ପ୍ରସିଦ୍ଧ ଦେବାଦେବୀଙ୍କ ମନ୍ଦିରରେ ହଜାର ହଜାର ଭକ୍ତଙ୍କର ସମାଗମ ଦେଖିବାକୁ ମିଳିଛି।

କେନ୍ଦୁଝର ଜିଲ୍ଲାର ଘଟଗାଁ ମା ତାରିଣୀ ମନ୍ଦିରରେ ଆଜି ଭକ୍ତଙ୍କର ଭିଡ଼ ଲାଗିଥିଲା। ସେହିପରି କାକଟପୁର ମା ମଙ୍ଗଳାଙ୍କ ମନ୍ଦିରରେ ଝାମୁ ଯାତ୍ରାର ଶୁଭାରମ୍ଭ ହୋଇଥିଲା। ଜଗତସିଂହପୁରର ଝଙ୍କଡ଼ ସାରଳା ପୀଠ, ଗଞ୍ଜାମ ଜିଲ୍ଲାର ମା ତାରାତାରିଣୀ ମନ୍ଦିର ସହ ଅନେକ ପବିତ୍ର ପୀଠରେ ଭକ୍ତମାନଙ୍କର ପ୍ରବଳ ସମାଗମ ଦେଖାଯାଇଥିଲା।

ପଣା ସଂକ୍ରାନ୍ତି ସହ ଜଡିତ ଆଉ ଏକ ପବିତ୍ର ପରମ୍ପରା ହେଉଛି ଦଣ୍ଡ ନାଚ, ଯାହା ମାସ ମାସ ଧରି ଚାଲିଥାଏ ଏବଂ ଆଜିର ଦିନରେ ଏହାର ସମାପ୍ତି ହୁଏ। ଭକ୍ତମାନେ ଦେବାଦେବୀଙ୍କୁ ବେଲ ପଣା, ଦହି ପାଣି ଓ ବିଭିନ୍ନ ପ୍ରକାରର ସରବତ ଅର୍ପଣ କରିଥାନ୍ତି।

ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ମଧ୍ୟ ଆଜି ନୂତନ ପାଞ୍ଜିର ପ୍ରଚଳନ ସହ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରି ନୂତନ ବର୍ଷର ଆରମ୍ଭ କରିଥିଲେ। ଓଡ଼ିଶାର ଘରେ ଘରେ ଆଜି ନୂତନ ପାଞ୍ଜି ସ୍ଥାପନ କରାଯାଇ ଶୁଭ କାର୍ଯ୍ୟର ଆରମ୍ଭ ହୋଇଥାଏ।

ଓଡ଼ିଆ ସଂସ୍କୃତିରେ କୁହାଯାଏ—
“ବାର ମାସରେ ତେର ପର୍ବ”
ସେହି ପର୍ବମାନଙ୍କ ମଧ୍ୟରେ ମହା ବିଷୁବ ପଣା ସଂକ୍ରାନ୍ତି ହେଉଛି ଆମ ପରମ୍ପରା, ଆସ୍ଥା ଓ ସାଂସ୍କୃତିକ ଐତିହ୍ୟର ଏକ ନିଆରା ପରିଚୟ।

ଆସନ୍ତୁ ଏହି ପବିତ୍ର ଦିନରେ ଆମ ଏତିହ୍ୟ ଓ ପରମ୍ପରାକୁ ସମ୍ମାନ କରିବା ଏବଂ ଓଡ଼ିଆ ନୂତନ ବର୍ଷକୁ ଆନନ୍ଦ ଓ ଆଶୀର୍ବାଦ ସହ ସ୍ୱାଗତ କରିବା।

ଜୟ ଜଗନ୍ନାଥ।

Tags :

Recent Posts

Leave a Reply

Your email address will not be published. Required fields are marked *

editors picks

Top Reviews